ଲିଙ୍ଗରାଜ ମନ୍ଦିର
ଲିଙ୍ଗରାଜ ମନ୍ଦିରରେ ନିୟମ କଡ଼ାକଡ଼ି ଗୁଟ୍ଖା, ପାନ, ସିଗାରେଟ୍ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ଆସନ୍ତାକାଲି ଅର୍ଥାତ୍ ଇଂରାଜୀ ନବବର୍ଷ ୨୦୨୪ଠାରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ମନ୍ଦିର ଭିତର ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ପ୍ଲାଷ୍ଟିକ୍, ପିଲିଥିନ୍, ଗୁଟ୍ଖା, ପାନ, ସିଗାରେଟ୍ ଭଳି ତମାଖୁ ଜାତୀୟ ପଦାର୍ଥ ନେବା ଉପରେ କଟକଣା ଲାଗୁ କରିବ ମନ୍ଦିର ପ୍ରଶାସନ । ଏହାସହ ଅବଢ଼ା ପ୍ରସ୍ତୁତିରେ ମଧ୍ୟ ସଂସ୍କାର ଆସିବ । ପୂର୍ବରୁ ବିଭିନ୍ନ କମ୍ପାନୀର ଘିଅରେ ଅବଢ଼ା ପ୍ରସ୍ତୁତ ହେଉଥିବାବେଳେ ଏବେ କେବଳ ଓମ୍ଫେଡ଼୍ ଘିଅରେ ହିଁ ମହାପ୍ରଭୁଙ୍କ ଭୋଗ ରନ୍ଧା ହେବ । ଏକାମ୍ରକ୍ଷେତ୍ରର ଅଧିଷ୍ଠିତ ଦେବତା ଶ୍ରୀଲିଙ୍ଗରାଜଙ୍କ ମନ୍ଦିରକୁ ପ୍ରତିଦିନ ରାଜ୍ୟ ଭିତର ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଛି । ଏହାରି ଭିତରେ କିଛି ହାତଗଣତି ଭକ୍ତ ମନ୍ଦିର ଭିତରେ ତମାଖୁ ଜାତୀୟ ପଦାର୍ଥ ବ୍ୟବହାର କରି ଛେପ ପକାଇ ମନ୍ଦିର ପରିବେଶକୁ ନଷ୍ଟ କରୁଛନ୍ତି । ସେହିଭଳି ମାଦକ ଦ୍ରବ୍ୟର ସେବନ କରି ମଧ୍ୟ ମନ୍ଦିର ପ୍ରବେଶ କରୁଛନ୍ତି । ଏହାସହ ମନ୍ଦିର ଭିତରକୁ ପଲିଥିନ୍ ଜରିରେ ଠାକୁରଙ୍କୁ ଲାଗି କରିବା ପାଇଁ କ୍ଷୀର ନେଇ ଯାଉଛନ୍ତି । ଏସବୁ ଦୃଶ୍ୟ ଆଧ୍ୟାତ୍ମିକତା ପରିବେଶକୁ ନଷ୍ଟ କରିବା ସହ ସଂସ୍କୃତିପ୍ରେମୀଙ୍କ ମନରେ ଗଭୀର ରେଖାପାତ କରିଛି । ତେଣୁ ଏସବୁ ବାରଣ କରିବା ପାଇଁ କଠୋର ହୋଇଛି ମନ୍ଦିର ପ୍ରଶାସନ । ସେହିଭଳି ବଜାରରେ ବହୁତଗୁଡ଼ିଏ କମ୍ପାନୀର ଅପମିଶ୍ରିତ ଘିଅ ଉପଲବ୍ଧ ହେଉଛି । ଯେଉଁଥିରେ ଭୋଗ ପ୍ରସ୍ତୁତ କରିବା ଗ୍ରହଣୀୟ ନୁହେଁ । ତେଣୁ ଏ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମନ୍ଦିରରେ କେବଳ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଓମ୍ଫେଡ ଘିଅର ବ୍ୟବହାର କରାଯିବା ନେଇ ସେବାୟତ ଓ ମନ୍ଦିର ପ୍ରଶାସନର ସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି । ଏ ସମ୍ପର୍କରେ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତି କହିଛନ୍ତି, ମନ୍ଦିର ଭିତରେ ପାନ, ଗୁଟ୍ଖା ଓ ବିଭିନ୍ନ ନିଶା ସେବନ କରି ଯାଉଥିବା ଲୋକଙ୍କ ମନ୍ଦିରକୁ ବାରଣ କରାଯିବ । ସେହିଭଳି ମନ୍ଦିର ଭିତର ପରିବେଶରେ ସଦାସର୍ବଦା ସ୍ୱଚ୍ଛତା ବଜାୟ ରଖିବା ପାଇଁ ପଲିଥିନ୍ ଉପରେ କଟକଣା ଲାଗୁ କରାଯାଇଛି । ଏହାସହ ଭକ୍ତମାନେ ମନ୍ଦିର ଭିତରକୁ ପଲିଥିନ୍ରେ କ୍ଷୀର ନେଇ ଯିବା ପରିବର୍ତ୍ତେ ମାଟି ପାତ୍ର କିମ୍ବା ଅନ୍ୟ କୌଣସି ପାତ୍ରରେ ନେଇ ଯିବା ପାଇଁ ସେ ନିବେଦନ କରିଛନ୍ତି । ଏହାଦ୍ୱାରା ମନ୍ଦିର ପରିବେଶ ସଫା ରହିବା ସହ ଆମେ ମଧ୍ୟ ରୋଗମୁକ୍ତ ହୋଇପାରିବା ବୋଲି ସେ କହିଛନ୍ତି ।
Comments
Post a Comment